କୃଷ୍ଣ ରାମ ହରି ଚଉତିଶା

 

 

 

 

 

 

 

 

 

କୃଷ୍ଣ ରାମ ହରି ଚଉତିଶା

ଡକ୍ଟର ସୁରେନ୍ଦ୍ରନାଥ ପାଣିଗ୍ରାହୀ

 

(ଚଉତିଶାଟିର କବିଙ୍କ ନାମ ଅଜ୍ଞାତ; ବଡ଼ ଚମତ୍କାର ଶୈଳୀ ଓ ସୁନ୍ଦର ଭାଷାରେ ଏହି ଭଜନଟି ଲେଖିଛନ୍ତି । ଲୋଭକୁ ସମ୍ବରଣ କରି ନ ପାରି ଏଠାରେ ଏହାକୁ ଉପସ୍ଥାପନ କରିଛୁ । କବିଙ୍କ ଭକ୍ତିଭାବନା ଏଥିରେ ପ୍ରକାଶ ପାଇଛି । ପ୍ରଭୁଙ୍କ ଅପାର ଅଲୌକିକ ମହିମା ଚଉତିଶାରେ ପ୍ରକଟିତ--)

 

କୃଷ୍ଣ ଗୋବିନ୍ଦ ଗୋପାଳ ନରହରି

 

କଂଜଲୋଚନ ମାଧବ ଦଇତାରି

 

କମଳାକାନ୍ତ କେଶବ କମ୍ବୁଧାରୀ

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୧।

ଖୋଜି ନ ପାନ୍ତି ଶୁକ ସୌନକ ମୁନି

 

ଖେଳ ବନେ ଗୋପସୁତ ବତ୍ସା ଘେନି

 

ଖେଳ ରସେ କଂସ ଅଷ୍ଟ ମଲ୍ଲ ମାରି

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୨।

ଗୋରଚନା ଚିତା ନାସେ ସିନ୍ଧୁଫଳ

 

ଗୁଂଜ ଅବତଂସ ଶିରେ ରଞ୍ଜେ ମାଳ

 

ଗଳେ ବ୍ୟାଘ୍ରନଖ ସଙ୍ଗେ ହେମମାଳୀ

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୩।

 

 

ଘନ ପୁଂଜ ଇନ୍ଦ୍ରନୀଳମଣି ତନୁ

 

ଘଞ୍ଚ ଭ୍ରୂଲତା କି କାମଦେବ ଧନୁ

 

ଘଟଣ ଅଳକାପନ୍ତି ମତ୍ତ ଅଳି

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୪।

ନୀଳ କୁଞ୍ଚିତ କେଶେ ମାଳତୀ ଗଭା

 

ନୀଳକଣ୍ଠ ଚନ୍ଦ୍ରିକା ଚୂଳରେ ଶୋଭା

 

ନବକିଶୋର ଗୋକୁଳେ ଅବତରି

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୫।

 

ଭାବାର୍ଥ- (୧-୫) କବି ପ୍ରଭୁଙ୍କୁ ପ୍ରାର୍ଥନା କରି କହିଛନ୍ତି- ହେ କୃଷ୍ଣ, ଗୋବିନ୍ଦ, ଗୋପାଳ, ନରହରି, ପଦ୍ମଲୋଚନ, ମାଧବ, ଦଇତାରି, କମଳାକାନ୍ତ, କେଶବ, ଶଙ୍ଖଧାରୀ ରାମ, କୃଷ୍ଣ, ହରିଙ୍କ ପାଦ ତଳେ ସଦା ପ୍ରଣାମ ଜଣାଉଛି । ମୁନି, ଋଷି, ଶୁକ, ସୌନକ ମହର୍ଷି କଳ୍ପ କଳ୍ପ ତପସ୍ୟା କରି ତାହାଙ୍କୁ ପାଆନ୍ତି ନାହିଁ । ଖେଳ ବନରେ ଗୋପାଳଙ୍କ ସହିତ ବାଛୁରୀ ଚରାନ୍ତି । ମଥୁରାପୁରରେ ଖେଳ ରସରେ ଅଷ୍ଟମଲ୍ଲ, କଂସକୁ ଯେ ବିନାଶ କରିଛନ୍ତି, ସେ କୃଷ୍ଣ, ରାମ, ହରିଙ୍କୁ ମୁଁ ସର୍ବଦା ପ୍ରଣାମ ଜଣାଉଛି । ନାସାରେ ଗୋରୋଚନା ଚିତା, ମୁକୁଟରେ ମୁକ୍ତାରମାଳ, ଗଳାରେ କାଇଁଚମାଳ, ବ୍ୟାଘ୍ରନଖ ସହିତ ସୁବର୍ଣ୍ଣମାଳିରେ ଶୋଭିତ ଦେଖାଯାଉଛି । ହେ ପ୍ରଭୁ, କୃଷ୍ଣରାମ ହରି ତୁମ ପାଦ ତଳେ ଭକ୍ତିର ସହିତ ପ୍ରଣାମ ଜଣାଉଛି । ମେଘ ସମୂହ ପରି ଇନ୍ଦ୍ରନୀଳମଣି ଶରୀର, ଘଞ୍ଚ ଭ୍ରୂଲତା ସତେ କି କାମଦେବର ଧନୁର ଶୋଭା ପ୍ରକାଶ କରୁଛି । କେଶରାଶି ମତ୍ତ ଅଳିର ଶୋଭା ବର୍ଦ୍ଧନ କରୁଛି । ସେହି ପ୍ରଭୁ କୃଷ୍ଣ ରାମ ହରିଙ୍କ ଚରଣାରବିନ୍ଦରେ ଭକ୍ତିପୂତ ପ୍ରଣାମ ଜଣାଉଛି ।

 

ପ୍ରଭୁ, ତୁମର ନୀଳ କୁଞ୍ଚିତ କେଶରେ ମାଳତୀଫୁଲ, ଚୂଳରେ ମୟୂର ଚନ୍ଦ୍ରିକା ଅତ୍ୟନ୍ତ ଶୋଭା ପ୍ରକାଶ କରୁଛି । ହେ ନବକିଶୋର, ଗୋକୁଳରେ ଅବତରି ଆମକୁ ଧନ୍ୟ କରିଛ । ତୁମ ପାଦପଦ୍ମରେ ମୁଁ ସତତ ପ୍ରଣାମ ଜଣାଉଛି ।

 

ଚନ୍ଦ୍ର କୋଟି ଜିଣି ଶ୍ରୀମୁଖମଣ୍ଡଳ

 

ଚାରୁ କର୍ଣ୍ଣେ ଶୋହେ ମକରକୁଣ୍ଡଳ

 

ଚାରୁ ଗଣ୍ଡସ୍ଥଳେ ଦର୍ପଣର ଝଳି

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୬।

କ୍ଷୀର ଉଦଧି ଶୟନେ ଭକ୍ତବନ୍ଧୁ

 

କ୍ଷମା ଗୁଣ ବିଧାନ କରୁଣାସିନ୍ଧୁ

 

କ୍ଷୀରସିନ୍ଧୁ ସୁତା ଯାର ପରିଚାରୀ

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୭।

ଯେଉଁ ପାଦପଦ୍ମେ ଲକ୍ଷ ଚନ୍ଦ୍ର ଜ୍ୟୋତି

 

ଯହୁଁ ଜାତ ବେଦବର ପଶୁପତି

 

ଯାର ପ୍ରକୃତିରୁ କୋଟି ବସୁନ୍ଧରୀ

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୮।

ଝଲମଲ ଉରେ କଉସ୍ତୁଭମଣି

 

ଝୀନ ପୀତବାସ କଟୀରେ କିଙ୍କିଣି

 

ଝାଡ଼ କୁସୁମମାଳ ଭୂଷଣ କରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୯।

ନାମ ଯନ୍ତ୍ରମନ୍ତ୍ର ତତ୍ତ୍ୱ ପରାପର

 

ନୋହେ ନିର୍ଗୁଣ ସଗୁଣ ପରାପର

 

ନାମ ଅଶେଷ ବ୍ରହ୍ମାଣ୍ଡେ ଅଛି ପୂରି

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୧୦।

ଟାଳି ପୁରନ୍ଦରପୂଜା ଗିରି ତୋଳି

 

ଟାଣପଣେ ମତ୍ତ କଂସ ଦର୍ପ ଦଳି

 

ଟେକି ସାତଦିନ କରେ ଗିରି ଧର

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୧୧।

ଠାବ କେ କରିପାରୁ ମହିମାମେରୁ

 

ଠିକେ ଦୀନଜନ-ବାଞ୍ଛା-କଳ୍ପତରୁ

 

ଠିକେ ଦାମୋଦର ବିଷ୍ଣୁ ଦୁଃଖହାରୀ

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୧୨।

ଡାକିଲେ ଦ୍ରୌପଦୀ କୁରୁସଭାତଳେ

 

ଡର ନାଶିଲ ବସନ ଦେଇ ହେଲେ

 

ଡାକି କୁବୁଜା ବାଙ୍କ ସକଳ କରି

 

ପ୍ରଣମାମି ସଦା କୃଷ୍ଣ ରାମ ହରି

।୧୩।

ଢମପଣେ କାଳିନ୍ଦୀରେ ଘାଟ ସାଧୁ

 

ଢାଳେ ପାଲଟା ବସ୍ତ୍ର ବୃକ୍ଷରେ ବାନ୍ଧି

 

ଢୋକି କ୍ଷୀରରେ ପୂତନା ପ୍ରାଣ ହରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୧୪।

 

ଭାବାର୍ଥ- (୬-୧୪) ପ୍ରଭୁ, ତୁମ ଶ୍ରୀମୁଖର ତେଜ କୋଟି କୋଟି ଚନ୍ଦ୍ରର ଜ୍ୟୋସ୍ନାକୁ କିଣିଛି-। ମନୋହର କର୍ଣ୍ଣ ଯୁଗଳରେ ମକରକୁଣ୍ଡଳ ଶୋଭା ପାଉଛି । ସୁନ୍ଦର ଗଣ୍ଡମଣ୍ଡଳରେ ଦର୍ପଣର ଝଳି ପରି ଶୋଭା ଦେଖାଯାଉଛି । ହେ କୃଷ୍ଣ, ରାମ, ହରି ତୁମ ପାଦତଳେ ମୁଁ ଶତବାର ପ୍ରଣାମ ଜଣାଉଛି । କ୍ଷୀର ସମୁଦ୍ରରେ ଶୟନରତ ହେ ପ୍ରଭୁ, ଭକ୍ତ ଭାବରେ ତୁମେ ବନ୍ଧା ହେ କରୁଣାର ସିନ୍ଧୁ, କ୍ଷମାଗୁଣର ନିଧାନ, କ୍ଷୀରସିନ୍ଧୁ ସୁତା (ଲକ୍ଷ୍ମୀ) ତୁମର ପରିଚାରୀ, ତାଙ୍କର ପାଦପଦ୍ମ ତଳେ ମୋର କୋଟି କୋଟି ପ୍ରଣାମ । ଯାହାଙ୍କ ପାଦପଦ୍ମରେ ଲକ୍ଷ ଚନ୍ଦ୍ରର ଜ୍ୟୋତି, ଯେଉଁଥିରୁ ବ୍ରହ୍ମା, ଶିବ ଜାତ ହୋଇଛନ୍ତି । ଯାହାଙ୍କ ପ୍ରକୃତିରୁ ବା ଶରୀରରୁ କୋଟି ବସୁନ୍ଧରା ଜନ୍ମ ନେଇଛନ୍ତି, ତାହାଙ୍କ ପାଦ ତଳେ ମୋର କୋଟି ନମସ୍କାର । ପ୍ରଭୁଙ୍କୁ ବକ୍ଷଦେଶରେ କଉସ୍ତୁଭ ମଣି ଝଲମଲ କରୁଛି । କଟୀ ଦେଶରେ ଝୀନ ପୀତ ବସନ, କିଙ୍କିଣୀ, ମସ୍ତକରେ ବନକୁସୁମ ମାଳ ଶୋଭା ପାଉଛି-। ସେ ରାମ କୃଷ୍ଣ ହରିଙ୍କ ପଦାରବିନ୍ଦରେ ମୁଁ ବାରମ୍ବାର ମଥାପାତି ପ୍ରଣାମ ଜଣାଉଛି । ହେ ପ୍ରଭୁ, ତୁମେ ନିର୍ବିକଳ୍ପ, ନିରଞ୍ଜନ, ନିରାକାର । ତୁମ ନାମର ମହିମା ଅପାର । ନାମ ଯନ୍ତ୍ରମନ୍ତ୍ର ତତ୍ତ୍ୱ ପରାପର । ତୁମେ ପୁଣି ନିର୍ଗୁଣ, ସଗୁଣ । ତୁମ୍ଭର ନାମ ଅଶେଷ ବ୍ରହ୍ମାଣ୍ଡରେ ପୂରି ରହିଛି । ତୁମ ପାଦ ତଳେ ମୋର ଶତବାର ପ୍ରଣିପାତ ।

 

ହେ ପ୍ରଭୁ, ଇନ୍ଦ୍ରଙ୍କ ପୂଜାକୁ ଟାଳି ଦେଇ ଇନ୍ଦ୍ରଙ୍କ ଗର୍ବ ଗଞ୍ଜିଲ ଗିରିଧାରଣରେ, ଗର୍ବୀ, ଅହଙ୍କାରୀ କଂସର ଦର୍ପକୁ ଦଳନ କଲ । ଇନ୍ଦ୍ର ଦାଉରୁ ଗୋପପୁରବାସୀଙ୍କୁ ଉଦ୍ଧାର କରିବା ପାଇଁ ସାତଦିନ ବ୍ୟାପି ହାତରେ ଗିରି ଧାରଣ କଲ । ତୁମର ଅପାର ମହିମାକୁ ମୁଁ ପ୍ରଣାମ ଜଣାଉଛି । ପ୍ରଭୁ, ମହିମାର ମେରୁ ତୁମ୍ଭେ । ତାକୁ କିଏ ବା କଳନା କରିପାରିବ ? ତୁମେ ଦୀନ ଜନର ବାଞ୍ଛା କଳ୍ପତରୁ ସଦୃଶ । ହେ ଦାମୋଦର, ବିପ୍ର ଦୁଃଖହାର, ତୁମ ଶ୍ରୀଚରଣରେ ମୋର ବିନମ୍ର ପ୍ରଣାମ । ହେ ପ୍ରଭୁ, ତୁମେ କେତେ ଦୀନଦୁଃଖୀଙ୍କ ଆର୍ତ୍ତକୁ ନାଶ କଲ, କୁରୁସଭାରେ କୋଟିବସ୍ତ୍ର ଦେଇ ଦ୍ରୌପଦୀଙ୍କ ଲଜ୍ଜାକୁ ନିବାରଣ କଲ । କୁବୁଜାର ବାଙ୍କକୁ ସଳଖ କରି ଅପୂର୍ବ ସୁନ୍ଦରୀ ନାରୀରେ ପରିଣତ କଲ । ମୁଁ ସର୍ବଦା ସେଇ କୃଷ୍ଣ, ରାମ ହରିଙ୍କୁ ଭକ୍ତିଭରା ଚିରରେ ପ୍ରଣାମ ଜଣାଉଛି । ହେ ପ୍ରଭୁ, ଯମୁନା କୂଳରେ ଘାଟ ସାଧି, ବୃକ୍ଷରେ ପାଲଟା ବସ୍ତ୍ର ବାନ୍ଧି ରାସଲୀଳା କଲ । ପୂତନା ରାକ୍ଷସର ସ୍ତନରୁ କ୍ଷୀରପାନ କରି ତାକୁ ବିନାଶ କରିଛି । ହେ ପ୍ରଭୁ, ତୁମକୁ ମୁଁ ଅଶେଷ ଜୁହାର କରୁଛି ।

ଅମଳ କମଳ ନେତ୍ର ବିମ୍ବାଧର

 

ଆଦି ଅନ୍ତ ଅବସାନ ନାହିଁ ଯାର

 

ଅନ୍ଧ ଚକ୍ଷୁ ପାଇଲା ଦର୍ଶନ କରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୧୫।

ତତ୍ତ୍ୱ ତାରକ ମନ୍ତ୍ର ଯାହାର ନାମ

 

ତୁଟେ ସଂସାର-ସାଗର ମାୟା ଭ୍ରମ

 

ତ୍ରିବିକ୍ରମ ତିନି ପାଦେ ବଳି ଛଳି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୧୬।

ଠୁଳ ବିପରୀତ ରମ୍ଭା ଜାନୁ ଜଙ୍ଘ

 

ଥଳକମଳ ନିନ୍ଦିତ ପାଦଯୁଗ

 

ଥିଲୁ ପଦ୍ମପାଦ ନୀର ଶିରେ ଧରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୧୭।

ଦିନ ପ୍ରଳୟରେ ମାରକଣ୍ଡ ଯତି

 

ଦେଖି ଗର୍ଭେ ଠାବ ଦେଲେ ଶିରୀପତି

 

ଦେଖିଲେ ଗର୍ଭେ ବ୍ରହ୍ମାଣ୍ଡ ଅଛି ପୂରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୧୮।

ଧ୍ୟାନେ ଗଜ ଚିନ୍ତିଲା ଅଖିଳନାଥ

 

ଧରି ଚକ୍ର ଛେଦିଲ ଗ୍ରାହର ମାଥ

 

ଧରି କୁମ୍ଭୀର ମାରି ଗଜ ଉଦ୍ଧାରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୧୯।

 

ଭାବାର୍ଥ- ( ୧୫-୧୯) ହେ ପ୍ରଭୁ, ନିର୍ମଳ କମଳ ନେତ୍ରଧାରୀ, ବିମ୍ବଫଳ ପରି ତୁମର ଅଧର, ତୁମର ଆଦିଅନ୍ତ କିମ୍ବା ଅବସାନ ନାହିଁ । ଅନ୍ଧକୁ ଚକ୍ଷୁ ଦାନ କଲ । ସେ ତୁମକୁ ଦର୍ଶନ କଲା-। ହେ ରାମ, କୃଷ୍ଣ, ହରି ସର୍ବଦା ତୁମ ପାଦତଳେ ପ୍ରଣାମ କରୁଛି । ତତ୍ତ୍ୱତାରକ ମନ୍ତ୍ର ଯାହାର ନାମ, ଯାହାର ନାମରେ ସଂସାର-ସାଗରର ମାୟାଭ୍ରମ ଦୂର ହୋଇଯାଏ । ତିନିପାଦରେ ବଳିର ଗର୍ବକୁ ହତ କଲ । ହେ ରାମ କୃଷ୍ଣ ହରି ତୁମକୁ ସଦା ପ୍ରଣମାମି । ହେ ପ୍ରଭୁ, ଓଲଟ ରମ୍ଭାବୃକ୍ଷ ପରି ଜାନୁ, ସ୍ଥଳ ପଦ୍ମକୁ ତୁମ ପାଦଯୁଗଳ ନିନ୍ଦା କରୁଛି । ଆମେ ମୁଣ୍ଡରେ ଜଳ ଧରି ତାଙ୍କ ପଦ୍ମପାଦରେ ରହିଛୁ-। ପ୍ରଭୁଙ୍କୁ ସଦାପ୍ରଣାମ କରୁଛି । ପ୍ରଳୟ କାଳରେ ମାର୍କଣ୍ଡ ଋଷିଙ୍କୁ ପ୍ରଭୁ ତାଙ୍କ ଗର୍ଭରେ ଆଶ୍ରୟ ଦେଇଥିଲେ । ତୁମର ଗର୍ଭ ମଧ୍ୟରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପୂରି ରହିଥିବା ସେ ଦେଖିଲେ । ହେ ବିଶ୍ଵନିୟନ୍ତା ରାମ କୃଷ୍ଣ ହରି, ତୁମ ପାଦପଦ୍ମରେ ପ୍ରଣାମ ଜଣାଉଛି । ହେ ଅଖିଳନାଥ, ବିପଦରେ ପଡ଼ି ଗଜ ତୁମକୁ ପ୍ରାର୍ଥନା କଲା । ଚକ୍ର ପେଶି କୁମ୍ଭୀରକୁ ନାଶ କଲ ଓ ଗଜକୁ ଉଦ୍ଧାର କଲ । ହେ ରାମ କୃଷ୍ଣ ହରି ତୁମକୁ ଶତବାର ପ୍ରଣାମ ଜଣାଉଛି ।

 

ନୀଳ ଉତ୍ପଳ ଦଳ କଜ୍ଜ୍ୱଳ ଶୋହେ

 

ନୀଳ ନଳୀନ ଲୋଚନ ଜନ ମୋହେ

 

ଲୀଳା ନିମନ୍ତେ ଅଶେଷ ରୂପ ଧରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୦।

ପରମାଣୁକେ ବ୍ରହ୍ମାଣ୍ଡ ରୋମମୂଳେ

 

ପାଂଶୁ ଯେହ୍ନେ ଉଡ଼େ ଗବାକ୍ଷ ମାର୍ଗରେ

 

ପୂର୍ଣ୍ଣାନନ୍ଦ ବ୍ରହ୍ମ ମଞ୍ଚେ ଅବତରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୧।

ଫଣିଧର ବେଦବର ପୁରନ୍ଦର

 

ଫାଇ ସୁରାସୁର ଯକ୍ଷ ବିଦ୍ୟାଧର

 

ଫଣିରାଜ ଆଦି ପାଦେ ବଳି ଛଳି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୨।

ବନେ ଗୋପଳଙ୍କ ସଙ୍ଗେ ବନଭୋଜି

 

ବ୍ରହ୍ମା ବତ୍ସାହରଣ ଚିତ୍ତରେ ହେଜି

 

ବିଷ୍ଣୁ ରୂପେ ଗୋପେ ବତ୍ସା ଜାତ କରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୩।

ଭବଭୟ-ବିମୋଚନ ଭାବଗ୍ରାହୀ

 

ଭାରା ନିବାରଣ ଅର୍ଥେ ଜାତ ହୋଇ

 

ଭକ୍ତ ହିତେ ସୁଦର୍ଶନ କରେ ଧରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୪।

 

ଭାବାର୍ଥ- (୨୦-୨୪) ପ୍ରଭୁଙ୍କ ନୀଳୋତ୍ପଳ ଦେହରେ କଜ୍ଜ୍ୱଳ ଶୋଭିତ ହେଉଛି । ତାଙ୍କ ନୀଳପଦ୍ମ ଲୋଚନ ଜଗତଜନଙ୍କୁ ମୋହୁଛି । ଲୀଳାପାଇଁ ଅଶେଷ ରୂପ । ଧରି ଧରାପୃଷ୍ଠରେ ଅବତରଣ କରିଛନ୍ତି ସେ । ସେଇ ରାମ କୃଷ୍ଣ ହରିଙ୍କୁ ସର୍ବଦା ପ୍ରଣାମ କରୁଛି । ପ୍ରଭୁଙ୍କ ରୋମମୂଳରେ ବ୍ରହ୍ମାଣ୍ଡ ଯାକ ପୂରିଛି । ପୂର୍ଣ୍ଣାନନ୍ଦ ବ୍ରହ୍ମ ମଞ୍ଚରେ ଅବତାର ନେଇ ସମଗ୍ର ଜଗତବାସୀଙ୍କୁ ଦୟା, ସ୍ନେହ ପ୍ରଦାନ କରୁଛନ୍ତି । ସେଇ ମହାପ୍ରଭୁ ରାମ କୃଷ୍ଣ ହରିଙ୍କୁ ଜୁହାର କରୁଛି-। ବ୍ରହ୍ମା, ଶିବ, ଇନ୍ଦ୍ର, ସୁରାସୁର, ଯକ୍ଷ, ବିଦ୍ୟାଧର । ସମସ୍ତେ ସେଇ ରାମ କୃଷ୍ଣ, ହରିଙ୍କ ପାଦ ତଳେ ପ୍ରଣାମ ଜଣାଉଛନ୍ତି । ବନ ମଧ୍ୟରେ ଗୋପାଳଙ୍କ ସଙ୍ଗରେ ଗାଈ ଚରାଉଥିବା, ବ୍ରହ୍ମାଙ୍କ ବତ୍ସାହରଣକୁ ମନରେ ହେଜି ବିଷ୍ଣୁ ରୂପରେ ଗୋପରେ ବତ୍ସା ଜାତ କରାଇଲେ । ସେଇ ପ୍ରଭୁ ମୋର ପ୍ରଣମ୍ୟ ।

 

ହେ ଭବଭୟ ବିମୋଚନ ଭାବଗ୍ରାହି, ଜଗତର ଭାରା ନିବାରଣ ଅର୍ଥେ ମର୍ତ୍ତ୍ୟରେ ଜାତ ହୋଇଛ । ଭକ୍ତର ହିତ ପାଇଁ ହାତରେ ସୁଦର୍ଶନ ଚକ୍ର ଧାରଣ କରିଛ । ତୁମକୁ ମୁଁ ଭକ୍ତି ଚିତ୍ତରେ ସତତ ପ୍ରଣାମ ଜଣାଉଛି ।

 

ମହୀ ବରାହରୂପେ ଦନ୍ତରେ ଧରି

 

ମହାବଳୀ ହିରଣାକ୍ଷ ବଳେ ମାରି

 

ମଧୁକୈଟଭ ମାରି ଗଜ ଉଦ୍ଧରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୫।

ଜପ ତୀର୍ଥ ବ୍ରତ ଶମ ଦମ ଦାନ

 

ଯୋଗ ସମାଧି ଯେ ପ୍ରାଣ ସଂଯମନ

 

ଜଗନ୍ନାଥ ନାମକୁ କେ ନୋହେ ସରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୬।

ରାମ ଅବତାରେ ଦଶରଥସୁତ

 

ରାଜ୍ୟ ତେଜି ବନେ ସଙ୍ଗେ ସୀତା ଭ୍ରାଥ

 

ଋକ୍ଷ ବାନର ଘେନି ରାବଣ ମାରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୭।

ଲକ୍ଷି ନ ପାରି ଅଲକ୍ଷ ଗୁଣ ସୀମା

 

ଲକ୍ଷ ବଦନେ କହି ନ ପାରେ ବ୍ରହ୍ମା

 

ଲୀଳା ନିମନ୍ତେ ଚତୁର୍ଦ୍ଧା ମୂର୍ତ୍ତି ଧରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୮।

ବ୍ରଜକିଶୋର ବର କାଳିନ୍ଦୀକୂଳେ

 

ବୃନ୍ଦାବନେ ରାସକ୍ରୀଡ଼ା କୁତୂହଳେ

 

ବ୍ରଜାଙ୍ଗନା ଅନ୍ୟ ଅନ୍ୟ ରୂପ ଧରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୨୯।

 

ଭାବାର୍ଥ- (୨୫-୨୯) ପ୍ରଭୁ ଦେବହରି ବରାହ ରୂପରେ ଦନ୍ତାଗ୍ରେ ମହୀକୁ ଧାରଣ କରିଥିଲେ । ମହାବଳୀ ହିରଣାକ୍ଷକୁ ସଂହାର କଲେ । ମଧୁକୈଟଭକୁ ମାରି ଗଜ (ବେଦକୁ) ଉଦ୍ଧାର କରିଛନ୍ତି । ସେଇ ଜଗତର ନମସ୍ୟ ରାମ କୃଷ୍ଣ ହରିଙ୍କୁ ପ୍ରାର୍ଥନା କରୁଛି । ଜପ, ତୀର୍ଥ, ଶାମ, ଦାନ, ଦଣ୍ଡ, ଭେଦ, ଯୋଗ, ସମାଧି ପ୍ରଭୃତି ଜଗନ୍ନାଥ ନାମକୁ ସମାନ ହେବେ ନାହିଁ । ସେଇପ୍ରଭୁ ମୋର ପ୍ରଣମ୍ୟ ।

 

ପ୍ରଭୁ ଭଗବାନ ବିଷ୍ଣୁ ଦଶରଥ ପୁତ୍ର ଭାବେ ରାମ ଅବତାରରେ ଜନ୍ମ ନେଇଥିଲେ । ପିତୃସତ୍ୟ ପାଳନ ପାଇଁ ରାଜ୍ୟ ତ୍ୟାଗ କଲେ । ସଙ୍ଗରେ ସୀତା ଓ ଭାଇ ଲକ୍ଷ୍ମଣ । ଋକ୍ଷ, ବାନରଙ୍କୁ ନେଇ ରାବଣକୁ ବିନାଶ କଲେ । ସେଇ ରାମକୃଷ୍ଣ ହରି ମୋର ଚିର ଉପାସ୍ୟା । ତାଙ୍କ ପାଦତଳେ ମୋର ବିନମ୍ର ପ୍ରାର୍ଥନା । ଯାହାର ଅଲକ୍ଷ ଗୁଣକୁ ବ୍ରହ୍ମା ଲକ୍ଷେ ମୁଖରେ ବର୍ଣ୍ଣନା କରିପାରନ୍ତି ନାହିଁ, ଯିଏ ଜଗତରେ ଲୀଳା ସାଧନ ପାଇଁ ଚତୁର୍ଦ୍ଧାମୂର୍ତ୍ତି ଧାରଣ କରିଛନ୍ତି, ସେଇ ଜଗତର ନାଥ ରାମ କୃଷ୍ଣ ହରିଙ୍କୁ ଭାବପୂର୍ଣ୍ଣ ଭକ୍ତି ଜଣାଉଛି । ହେ ବ୍ରଜକିଶୋର ଶ୍ରେଷ୍ଠ, ଯମୁନା କୂଳ ବୃନ୍ଦାବନରେ ରାସକ୍ରୀଡ଼ା କରିଛ । ବ୍ରଜାଙ୍ଗନାଙ୍କୁ ରୂପରେ ମୋହି ଗୋପପୁରୀକୁ ଧନ୍ୟ କରିଛି । ମୁଁ ତୁମର ସେଇ ଅନିନ୍ଦ୍ୟ ପାଦପଦ୍ମ ତଳେ ସତତ ପ୍ରଣିପାତ ଜଣାଉଛି ।

 

ଶ୍ରୀ ନନ୍ଦକୁମର ବଂଶୀ ଶୋଭି କର

 

ଶ୍ରୀଚରଣାଶ୍ରିତ ଭକ୍ତବୃନ୍ଦ ଯାର

 

ସର୍ବଶୁଭଦାତା ଅଟନ୍ତି ଯେ ସବୁରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୩୦।

ସୃଷ୍ଟି-ସ୍ଥିତି-ଉତ୍ପତ୍ତି-ପ୍ରଳୟକର୍ତ୍ତା

 

ସ୍ମୃତି-ଶ୍ରୁତି-ମନ୍ତ୍ରରୂପେ ବୁଦ୍ଧିଦାତା

 

ସତ୍ତ୍ୱ ରଜ ତମ ତିନି ମୂର୍ତ୍ତି ଧରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୩୧।

ସହସ୍ର ପତ୍ର ଶତ ଦଳ ଉପରେ

 

ଶେଷଦେବ ଫଣା ରତ୍ନ ମଣ୍ଡପରେ

 

ସଙ୍ଗେ ରାଧା ଚନ୍ଦ୍ରାବଳୀ ସୁକୁମାରୀ

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୩୨।

ହରି ବିନୁ ଏ ସଂସାର ନୁହେଁ ସତ୍ୟ

 

ହରି ସର୍ବଘଟେ ପୂରିଛନ୍ତି ନିତ୍ୟ

 

ହରି ଭଜି ଭବସିନ୍ଧୁ ହୁଅ ପାରି

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୩୩।

କ୍ଷଣଭଙ୍ଗୁର ଶରୀର ମିଥ୍ୟା ଦେଖ

 

ଛାର କଥାକୁ ଏଡ଼େ ପରମ ସୁଖ

 

କ୍ଷେମେ ତାରିବେ ଭବୁ ଶାରଙ୍ଗଧାରୀ

 

ପ୍ରଣମାମି ସଦା ରାମ କୃଷ୍ଣ ହରି

।୩୪।

 

ଭାବାର୍ଥ- (୩୦-୩୪) ହେ ପ୍ରଭୁ ଶ୍ରୀନନ୍ଦକୁମର, ତୁମ ହସ୍ତରେ ବଂଶୀ ଶୋଭା ପାଉଛି-। ଭକ୍ତମାନେ ତୁମ ଶ୍ରୀଚରଣରେ ଆଶ୍ରିତ । ସଭିଙ୍କ ସର୍ବଶୁଭଦାତା । ତୁମ ଚରଣ ତଳେ ମୁଁ ପ୍ରଣାମ କରୁଛି । ତୁମେ ସୃଷ୍ଟି-ସ୍ଥିତି-ଉତ୍ପତ୍ତ-ପ୍ରଳୟ କର୍ତ୍ତା । ସ୍ମୃତି-ଶ୍ରୁତି-ମନ୍ତ୍ର ରୂପେ ଅଗୋଚର । ହେ ବୁଦ୍ଧିଦାତା, ସତ୍ତ୍ୱ-ରଜ-ତମ ତିନି ମୂର୍ତ୍ତି ଧାରଣକାରୀ, ତୁମକୁ ମୁଁ ଶତବାର ଧ୍ୟାନ କରୁଛି । ହେ ପ୍ରଭୁ, ସହସ୍ରପତ୍ର ଶତଦଳ ଉପରେ ବ୍ରହ୍ମା (ଶେଷଦେବ ଫଣା) ରତ୍ନ ମଣ୍ଡପରେ ବିରାଜମାନ- ସଙ୍ଗରେ ରାଧା ଚନ୍ଦ୍ରାବଳୀ ସୁକୁମାରୀ । ଧନ୍ୟ ଲୀଳା ପ୍ରଭୁ ତୁମରି । ତୁମକୁ ବାରମ୍ବାର ପ୍ରାର୍ଥନା କରୁଛି । ହରିଙ୍କ ବିନା ଏ ସଂସାର ଅନିତ୍ୟ । ସର୍ବଘଟରେ ସେ ପୂରିଛନ୍ତି । ହରିଙ୍କୁ ଧ୍ୟାନ କରି ଏ ଭବସାଗରରୁ ପାର ହୁଅ । କ୍ଷଣ ଭଙ୍ଗୁର ଶରୀର । ମିଥ୍ୟା, ଅନିତ୍ୟ । ପ୍ରଭୁ ଚକ୍ରଧର ତୁମକୁ ଏ ଭବମାୟାରୁ ପାର କରିବେ । ତାଙ୍କୁ ପାଇଲେ ସୁଖ ପାଇବୁ । ମୁଁ ସେଇ ରାମ କୃଷ୍ଣ ହରିଙ୍କୁ ସର୍ବଦା ଧ୍ୟାନ କରେ ।

Image